Unknown

 

 

 

 

 

 

 

 

 

 

ସବୁଜ କବିତା

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ଲୋହିତ ବ୍ୟଥା

୨.

ପୁରୀ ମନ୍ଦିର

୩.

ମଧୁ ବିବାହ

୪.

ଫଗୁଣ ବଂଶୀ

୫.

ପ୍ରଭାତ ଗୀତର ଗୌରବ

୬.

ସନ୍ଧ୍ୟାଲୋକେ

୭.

ସାଧନା

 

ଲୋହିତ ବ୍ୟଥା

 

ବଂଶୀ କାନ୍ଦିଗଲା ଦୂର ବିଲ ବନ ପଥେ

ସ୍ୱର ରହିଗଲା ଏ ମୋର ମରମଗତେ ।

 

ଦୂର ଅତୀତର ଶୁଭୁଥିଲା ଭାଷା

କି ଗହନ ବ୍ୟଥା ଦୁରନ୍ତ ଦୁରାଶା ।

 

ସନ୍ଧ୍ୟା ସୁନ୍ଦରୀ ସ୍ୱର୍ଣ୍ଣ ମେଘର ରଥେ

ସଜଳ ନୟନେ ଚାହିଁଥିଲା ବନପଥେ ।

 

ପଉଷ ଶୀତର ନିବିଡ଼ ବେଦନା ପରେ

ନିମେଷ-ବସନ୍ତ ବହିଥିଲା କେବେ ଥରେ ।

 

କେବେ ଜୋଛନାର ସଲାଜ ପରଶେ

ପ୍ରାଣ ଉଠିଥିଲା ପୁଲକି ହରଷେ ।

 

କେବେ କେଉଁଦିନ ଗୋଧୂଳି ଆଲୋକ ପରେ

ହଳିଆର ଗୀତ ଭାସି ଆସିଥିଲା ଖରେ ।

 

 

କେବେ ନଦୀକୋଳେ କହି ତା ବ୍ୟଥିତ ବାଣୀ

ରକତ ଚମ୍ବନ ରଖିଥିଲା ସନ୍ଧ୍ୟାରାଣୀ ।

 

ଏକାକୀ ନାଉରୀ ସଙ୍ଗୀତ ଶୋକେ

ନାବ ବାହୁଥିଲା ଲୋହିତ ଆଲୋକେ ।

 

ଉପରେ ତାହାର ସନ୍ଧ୍ୟା ସରମଠାଣି

ତଳେ ଜଳରାଶି-ପୀଡ଼ିତ-ମରମବାଣୀ ।

 

ଫାଟି ପଡ଼ିଥିଲା ଗୋଲାପୀ ଅନ୍ତର କାର

ସେ ବ୍ୟଥା ପରଶେ ତ୍ରିଭୁବନ ନାରଖାର ।

 

ଲୋହିତ ସେ ବ୍ୟଥା ଭାସଇ ପବନେ

ଅରୁଣ ରାଗିଣୀ ଗଗନେ ଗଗନେ ।

 

ସେ ବ୍ୟଥା ଏ ପ୍ରାଣେ ଉଠାଇଛି ହାହାକାର

ସକଳ ଅଙ୍ଗେ ମୋ ରକତ ଚୁମ୍ବ ତାର ।

 

ଅନ୍ତରେ ରକତ ବାହାରେ ରକତରାଶି

ରକତର ଶିଶୁ କାହିଁଯିବି ମୁଁ ଗୋ ଭାସି ।

 

କି ବାରତା ଆସେ କାହିଁ ସେ ଉଚ୍ଚରେ

କ୍ଷୀଣତର ହୋଇ ମରମେ ସଞ୍ଚରେ ।

 

କି ପୁଲକ ବ୍ୟଥା ପରାଣେ ଲାଗେ ପରାସି

ରଙ୍ଗାଏ ମୋର ସଞ୍ଚିତ ବ୍ୟଥାରାଶି ।

 

ସେ କିବା ମୋହର ପ୍ରଥମ ଆଲୋକ କଥା

ଅନନ୍ତ ଯୁଗର ଆଦିମ ଏକ ବାରତା ।

 

ପ୍ରାଚୀନତମ ସେ ପ୍ରାଣର ପରାସ

ଅସୀମ କାଳର ଏକ ଇତିହାସ ।

 

ଅତୁଳ ଅତୁଳେ କାହିଁ ଲୁଚିଛି ସେ ବ୍ୟଥା

ସନ୍ଧ୍ୟା ଗଗନେ ଶୁଣିଲି ଆଜି ଯେ କଥା ।

 

ପୁରୀ-ମନ୍ଦିର

 

କାଷ୍ଠପାଷାଣଗଠିତ ହେ ନିର୍ଜୀବ ଦେବତା-ମୂରତି !

ଏ ଦେଶ ଶୋଣିତେ ଆଜି ଜାଗ୍ରତ ଯେ ବିଶ୍ୱର କୀରତି

ମାନବର ଶିଳ୍ପକଳା କଳ୍ପନାଘଟିତ

ଯୁଗ ଯୁଗ ଧରି ଯାହା ହୋଇଛି ଗଠିତ

ମାନବର ହସ୍ତେ ବହି ରୂପ

ଭାଗ୍ୟେ ତାର କରୁଛୁ ବିଦ୍ରୂପ

ଅନ୍ତର ଗୁହାରି ଶୁଣ କି ତାହାରି

ଶୂନ୍ୟପ୍ରାଣ ହେ ପାଷାଣ !

 

ନ ଲଭି ସାନ୍ତ୍ୱନା କାହିଁ ଭଗ୍ନପ୍ରାଣ ମାନବସନ୍ତାନ

କାଷ୍ଠ ପାଷାଣର ଦେହେ କରଇ ସେ ଦେବତା ନିର୍ମାଣ

କୋମଳ ମଧୁର ଯାହା କରି ଆରାଧନା

ନୋହେ ଯେଣୁ ଉପଶମ ଅନ୍ତର ବେଦନା

ବ୍ୟାକୁଳ ହୃଦୟେ ଲୋଡ଼େ ସେହୁ

ଦୟା କ୍ଷମା ପାଷାଣର ଦେହୁ

ପାଷାଣର ଗାତ୍ରେ ମସ୍ତକ ଆଘାତେ

ଅକାରଣ ଅଶରଣ !

 

 

 

ହେ ପାଷାଣ, ମାଗୁ ନାହିଁ ଶମିବାକୁ ମୋ ମରମ ଭାର

କ୍ଷମିବାକୁ ଅପରାଧ ତୁଟିବାକୁ ବ୍ୟର୍ଥତା ଆଶାର

ଲୋଡ଼ୁନାହିଁ ଲଭିବାକୁ ତବ ଅନୁଗ୍ରହେ

ଧନ ମାନ ଯଶ ଖ୍ୟାତି ଅଭୟ ହୃଦୟେ

ମୃତ୍ୟୁ ପରେ ମୁକ୍ତି ନାହିଁ ମାଗେ

ବଇକୁଣ୍ଠ ନାହିଁ ଭଲ ଲାଗେ

ଏ ମର୍ତ୍ତ୍ୟଭୁବନ ମୋ ସ୍ନେହ-ସଦନ

ଏ ଧରଣୀ ସୁଖମଣି ।

 

ଜୀବନର ଭାବନାରେ ବହି ଯାଏ ମୋର ପ୍ରତିକ୍ଷଣ

ନାହିଁ ବେଳ କରିବାକୁ ମୁକ୍ତି ଅବା ମୃତ୍ୟୁର ଚିନ୍ତନ

ଲଭିଅଛି ଯେ ସମ୍ପଦ ଏ ମର ଜୀବନେ

ମିଳଇ ସେ କେବେ କେଉଁ ଅମରଭୁବନେ ?

ଏ ଜୀବନେ ଲଭିଛି ଯେ ନିଧି

ତୁଚ୍ଛା କରି ଦିଏ ସ୍ୱର୍ଗସିଦ୍ଧି

ଭୋଗିବାକୁ ତାହା ବେଳ ନାହିଁ ଆହା

କିବା ଲୋଡ଼ା ସ୍ୱର୍ଗ ଯୋଡ଼ା ।

 

 

ଏ ଧରାର ସୁଖ ଦୁଃଖ ସ୍ନିଗ୍ଧ ରୁକ୍ଷ ସୁନ୍ଦର କୁତ୍ସିତ

ଅତି ଆଦରର ମୋର, ଏ ଜୀବନେ ଅତି ପରିଚିତ

କେତେ ଆଶା କେତେ ମୋର ଆକାଙ୍କ୍ଷାର ଧନ

ଛାଡ଼ି ସବୁ ନ ଲୋଡ଼ଇ ସ୍ୱରଗଭୁବନ

ଜନନୀର ଅମୃତ ସେନେହ

ଲାଳିତ କରଇ ଏ ଯେ ଦେହ

ଆଶିଷ ପିତାର କଲ୍ୟାଣ ଆଧାର

ଏତେ ପ୍ରାଣ ଏତେ ଦାନ !

 

ସକଳ ମମତା ତେଜି ନ ଖୋଜଇଁ ମୁକତିମାରଗ

ହୁଅଇଁ ନାସ୍ତିକ ପଛେ; ନ ଲୋଡ଼ଇଁ ଅପର ସ୍ୱରଗ

କି ଆନନ୍ଦ ନିହିତ ସେ ସ୍ୱର୍ଗ ପରବାସେ

ହୁଏ କି ତା ସୁଷମିତ ଶିଶୁର ସୁହାସେ ?

ଯେ ସଙ୍ଗୀତ ପ୍ରିୟାର ନୁପୁରେ

ଅଛି କେଉଁ ବଇକୁଣ୍ଠପୁରେ ?

ପ୍ରିୟା-ରୂପ-ଶଶୀ ସେ କେଉଁ ଉର୍ବଶୀ

ପାରେ ଜିଣି ଗରବିଣୀ !

 

 

 

 

ତଥାପି ନମଇଁ ତୋରେ ହେ ନିର୍ଜୀବ କର୍କଶ ପାଷାଣ

ଘନୀଭୂତ ଏଥି ଯେଣୁ କେତେ ପୂଣ୍ୟ ଶିଳ୍ପର ପରାଣ

ଯେ ରାଜନ ଗଢ଼ିଲା ଏ ପାଷାଣର ଗିରି

ଯେ ବିରାଟ କଳ୍ପନାରୁ ଉଦ୍ଭୁତ ଏ ଶିରୀ

ବିଶ୍ୱପାଇଁ କରିଲା ଦାଦନ

ଅନ୍ତରର ବିପୁଳ ବେଦନ

ହେବାକୁ ନିର୍ବଂଶ ଲୋଡ଼ିଲା ଅଯଶ

ବଂଶ ଗର୍ବ କରି ଖର୍ବ !

 

ତ୍ୟାଗର ମହିମା ଯେଣୁ ଏ ଦେଉଳ ଘୋଷଇ ପବନେ

ତ୍ୟାଗର ଜୟପତାକା ଉଡ଼ାଉଛି ଅନନ୍ତ ଗଗନେ

ବିରାଟ ଯେ ଆତ୍ମା ଲହି ପାଷାଣେ ନିହିତ

ଉଦ୍ଦେଶ୍ୟେ ତାହାର ଆଜି ନମ୍ର ମୋର ଚିତ୍ତ

ରକତ ମାଂସର ଯେତେ ହସ୍ତ

ନିର୍ମିଲା ଏ ପ୍ରସ୍ତର ସମସ୍ତ

ତାହାର ସକାଶେ ଏ ପାଷାଣ ପାଶେ

ନମସ୍କାର ବାରମ୍ବାର !

 

 

 

 

 

 

 

 

ମାନବର ସୃଷ୍ଟି ଏ ଯେ ମାନବର ଅନ୍ତର ଆରତି

ନମଇଁ ମୁଁ ତେଣୁ ଏଥି ଜଣାଏଁ ମୋ ବ୍ୟଥାର ଭାରତୀ

କାତର ଚିତ୍କାର କେତେ ଅନ୍ତରର ଦୁଃଖ

ଜଡ଼ ଏ ପାଷାଣ ଦେହେ ଭଜିଅଛି ମୂକ

ଆଜି ଏହି ଦେଉଳ ଗହ୍ନରେ

ଶତ କଣ୍ଠ-ପ୍ରତିଧ୍ୱନି ଥରେ

ମିଶାଇ ତା ସଙ୍ଗେ ଏ ମନ୍ଦିର ଅଙ୍ଗେ

କଣ୍ଠସ୍ୱର ଉଠେ ମୋର !

 

ଲୁକାୟିତ ବିଶ୍ୱ ମଧ୍ୟେ ମାନବପ୍ରାଣର ଆଶା ଆଦି

ଏ ପାଷାଣ ନିମ୍ନେ ହୋଇ ସ୍ତୂପୀକୃତ ଲଭିଛି ସମାଧି

ବିରହବିଧୁରା କେତେ ଯୁବତୀ ଗୁହାରି

ସନ୍ତାନହୀନାର କେତେ ଶୋକ ଅଶ୍ରୁବାରି

ହୋଇଅଛି ଏଥି ଘନୀଭୂତ

ଅନ୍ତରର ବାସନା ଅୟୁତ

କେତେ ନିରାଶ୍ରୟ ଲୋଡ଼ିଛି ଅଭୟ

ସଂଗୋପନେ ଆଶାମନେ !

 

 

 

 

ଶ୍ରେଷ୍ଠ ମାନବ-ଅନ୍ତର କେତେ ଏଥି ଆସିଅଛି ଧାଇଁ

ଭକତି ପ୍ରେମର କେତେ ରସ-ଉତ୍ସ ଦେଇଛି ବୁହାଇ

ତରଳାଇ ନିର୍ଜୀବ ଏ ପାଷାଣର ଅଙ୍ଗ

ଜୀବନରସର କେତେ ଉଠିଛି ତରଙ୍ଗ

କେତେ ଶତ ଜୀବନ୍ତ ଦେବତା

ବିଶ୍ୱପାଇଁ ପ୍ରକାଶିଛି ବ୍ୟଥା

ଏ ଶିଳା ବିଚିତ୍ର ହୋଇଛି ପବିତ୍ର

ଲାଗି ଯେଣୁ ପଦରେଣୁ !

 

ଆଦର୍ଶ ଯାହାର ମହା ସାମ୍ୟନୀତି ନାହିଁ ଭେଦଜ୍ଞାନ

ମାନବଶିଶୁର ଯହିଁ ନାହିଁ ଜାତି-ଦ୍ୱେଷ ଅପମାନ

କବୀର, ନାନକ, ବୁଦ୍ଧ, ଚୈତନ୍ୟ, ଶଙ୍କର

କଲେ ଯହିଁ ସମାବେଶ ସକଳ ଧର୍ମର

ଲେଖିଲେ ଏ ପାଷାଣର ଗତେ

‘‘ସକଳ ଯେ ସମାନ ଜଗତେ’’

ସବୁ ବଡ଼ ସାନ ଦୀନ ଧନବାନ

ନତମୁଣ୍ଡ ଏଥି ରୁଣ୍ଡ !

 

 

 

 

ଯେତେ କୋଟି ଯାତ୍ରିପଦ ପଡ଼ିଛି ଏ ମନ୍ଦିର ଦୁଆରେ

ଭବିଷ୍ୟତେ ଯେତେ ପୁଣି ଲାଗିବ ଏ ପାଷାଣ ହିୟାରେ

ନ ରହିବ ଇତିହାସ ନ ରହିବ ଚିହ୍ନ

ଏ ପାଷାଣଗାତ୍ର କାହିଁ ନୋହିବ ବିଦୀର୍ଣ୍ଣ !

କିନ୍ତୁ ସେ ଯେ ବିଶ୍ୱାସ ଭକତି

ତା ଉଦ୍ଦେଶ୍ୟେ ଜଣାଏଁ ମୁଁ ନିତି !

ମାନବଜୀବନେ ଅମୂଲ୍ୟ ସେ ଧନେ

ନମସ୍କାର ବାରମ୍ବାର !

 

ମଧୁ ବିବାହ

 

ବିବାହ ଶଙ୍ଖ ଉଠୁ ଗୋ ମନ୍ଦେ ବାଜି

ପକ୍ୱ ଧାନର ବିପୁଳ ଗନ୍ଧେ

ସୋରିଷଫୁଲର ମାଦକ ଛନ୍ଦେ ।

 

ପୁରିଛି ଗଗନ ଥରିଛି ପବନ

ଭାସିଛି ଭୁବନ ଆଜି

ବିବାହ ଶଙ୍ଖ ଉଠୁ ଗୋ ମନ୍ଦେ ବାଜି ।

 

ବହୁ ଦିବସର ବିସ୍ମୃତ ମୋର

ବିବାହ ନବ ସ୍ୱପନ

ପଉଷ ବାଆରେ ପଠାଇଛି ତାର

ମଙ୍ଗଳ ନିମନ୍ତ୍ରଣ ।

 

ଦୂର ଦିଗନ୍ତୁ କାନ୍ଦେ ମହୁରି

ବାଜି ଉଠେ ଢକା ବାଜି ଉଠେ ତୁରୀ ।

ଶୁଭ୍ର ତୁଷାର ଶ୍ୟାମଳ ଧରାରେ

କରେ ପଦ ଅରପଣ

ଆଣିଛି ସେ ମୋର ବିବାହର ନିମନ୍ତ୍ରଣ ।

 

ଆଣିଛି ସେ ମୋ ପ୍ରଭାତ କୁସୁମ

ବୃନ୍ତୁ ତୋଳି ତା କରେ

ସନ୍ଧ୍ୟା ଗୀତିଟି ରକ୍ତିମ ତାର

ଫୁଟାଇ ସଜ ଅଧରେ ।

 

କା’ର ଦିନାନ୍ତେ ମିଶଇ ସ୍ୱର୍ଣ୍ଣ ଅଞ୍ଚଳ

ତୁଷାରେ ତିନ୍ତଇ ଚୂର୍ଣ୍ଣ କୁନ୍ତଳ

ମୋର- ଜୀର୍ଣ୍ଣ ବାସନା କରେ ଚଞ୍ଚଳ

ଛଳ ଛଳ ଲୋତକରେ

ଆଣିଛି ସେ ମୋର ସନ୍ଧ୍ୟା ଗୀତଟି

ଫୁଟାଇ ସଜ ଅଧରେ ।

 

ବିବାହର ଦିନ ଯାଇ ନାହିଁ ମୋର

ସରି ନାହିଁ ଯଉବନ

ଚିକଣ ଅଳକା ରଖିଛି ସାଇତି

ନୀଳ-ନଦୀ-ଦରପଣ

ସିନ୍ଦୁର ବିନ୍ଦୁ ଲାଖିଛି ଗୋଲାପେ

ନୟନର ପତା କଳାପିକଳାପେ

କଜ୍ଜ୍ୱଳରେଖା ଦିଗ୍‌ବଳୟେ ସେ

ନିଭିନାହିଁ ଏତେକ୍ଷଣ

ବିବାହର ତିଥି ବଳି ନାହିଁ ମୋର

ସରି ନାହିଁ ଯଉବନ ।

 

ନିଶୀଥ ନିଜନେ ନୂପୁର ନିକ୍ୱଣ

ରହିଛି ଝିଲ୍ଲୀନାଦେ

ଆଦ୍ୟ ଆଷାଢ଼ ଜଳଦ ସହିତ

ଚିକୁର ତାହାର ହୁଏ ଲୀଳାୟିତ

ଗନ୍ଧି ତାହାର କରଇ ମୋହିତ ।

ମଳୟର ପରମାଦେ

ନିଶୀଥ ନିଜନେ ନୂପୁର ନିକ୍ୱଣ

ରହିଛି ଝିଲ୍ଲୀନାଦେ ।

 

ବଧୂ ଆମେ ମୋର ଧୀର ସୁଲଳିତ

ତୃତୀୟା ଜୋଛନା ସମ

ବଢ଼ାଏ ମୋ କରେ କମ୍ପିତ କର

ସୁକୁମାର ଅନୁପମ

ଲାଜଲାଜ ଗଣ୍ଡେ ନ କହଇ କଥା

ଭାଦର ବଉଦେ ଲୁଚାଏ ତା ମଥା

କି ନିବିଡ଼ ବ୍ୟଥା ଲାଗେ ଏ ପୀରତି-

ପୀଡ଼ିତ ମରମେ ମମ

ବଧୁ ଆସେ ମୋର ଧୀର ସୁଲଳିତ

ତୃତୀୟା ଜୋଛନା ସମ !

 

ଧ୍ରୁବତାରା ସମ ସେ ମୋରେ ସୁଦୂରୁ

ଚାହିଁ ରହେ ନିତି ନିତି

ବସନ୍ତର ଫୁଲ କାନନୁ ତାହାର

ବହି ଆସେ ସ୍ନେହ ପ୍ରୀତି

ସ୍ନିଗ୍ଧ ସୁନୀଳ ମୁକ୍ତ କବରୀ

ରହେ ଚିରକାଳ ଗଗନ ଆବୋରି

ଗତିରେ, ତାହାର ବାଜି ଉଠେ ଧୀରେ

ମୁଗ୍ଧ ବେହାଗ ଗୀତି

ଧ୍ରୁବତାରା ସମ ସେ ମୋରେ ସୁଦୂରୁ

ଚାହିଁ ରହେ ନିତି ନିତି ।

 

ସେ ପ୍ରେୟସୀ ମୋର ଚିରଯୌବନ

ନବୀନ ସେ ଚିରନ୍ତନ

ସ୍ୱଦେଶେ ବିଦେଶେ ପ୍ରତିକ୍ଷଣେ ଆସେ

ତା’ରି ଶୁଭ ନିମନ୍ତ୍ରଣ

ପକ୍ୱ କେଶେ ମୋ’ କରେ ସେ ସରାଗ

ଗଳିତ ଅଙ୍ଗେ ବୋଲଇ ପରାଗ

ଦଶନବିହୀନ ବଦନେ ମୋହର

ଲେଖଇ ମଧୁ ଚୁମ୍ବନ

ସେ ପ୍ରେୟସୀ ମୋର ଚିରଯୌବନ

ନବୀନ ସେ ଚିରନ୍ତନ ।

 

କୈଶୋରେ ମୋର ସ୍ୱପନର ସାଥୀ

ପ୍ରୌଢ଼େ ହୃଦୟ ରାଣୀ

ଜରା ଅଙ୍ଗେ ମୋର ଢାଳିବ ନବୀନ

କ୍ଳାନ୍ତିହରା ତା ବାଣୀ ।

 

ମରଣ ଅଙ୍କେ ତେଜି ଭୟ ଲଜ୍ଜା

ପାତିବ ସେ ମୋର ଚିର ମଧୁଶଯ୍ୟା

ଜଡ଼ ଅନ୍ଧାର କ୍ରକ୍ଷେ ଜାଳିବ

ପୀରତି ପ୍ରଦୀପ ଆଣି

କୈଶୋର ମୋର ସ୍ୱପନର ସାଥୀ

ପ୍ରୌଢ଼େ ହୃଦୟ ରାଣୀ ।

 

ସେହି ମଧୁଶେଯୁ ମୋରେ ଜଗାଇବ ସେ ତ

ଲାଗିଲେ ପ୍ରାତ ପବନ

ନବୀନ ସେ ମୋର ଦରୋଟି ସେ ମୋର

ସାଥୀ ମୋର ଚିରନ୍ତନ

ଜୀବନେ ଜୀବନେ ଚିର ସହଚର

ସଜାଇବ ଚିର ବିବାହ ବାସର

ବଳି ନାହିଁ ମୋର ବିବାହର ତିଥି

ସରି ନାହିଁ ଯଉବନ

ମଧୁଶେଯୁ ମୋରେ ଜଗାଇବ ସେ ତ

ଲାଗିଲେ ପ୍ରାତ ପବନ ।

 

ଫଗୁଣ ବଂଶୀ

ମୋ ମରମ କିପାଁ ସଚକିତ ହେ

ଫଗୁଣ ଜୋଛନା ତଳେ ମିତ ହେ

ଯୌବନ ଛଳ ଛଳ ଧରଣୀ

ନୀଳ ଜଳେ ଭାସିଯାଏ ତରଣୀ

ଉନ୍ନନା ଆଜି ମୋର କରଣୀ

ନ ମାନଇ ଭାଷାବନ୍ଧ ଗୀତ ହେ ।

 

ପବନ ସେ ରଣରଣି ବହଇ

କାନେ କାନେ କାହା କଥା କହୁଇ

ପୀଡ଼ିତ ଉଦାସ ମୋର ମରମ

ଚଞ୍ଚଳ ଉଠେ ତେଜି ସରମ

ଉପୁଜାଇ ବିଶ୍ୱର ଭରମ

କେଉଁ ଫୁଲ ବାସେ ମନ ମୋହଇ ।

 

ସେ ଫୁଲ ଫୁଟଇ କେଉଁ ଦେଶେ ହେ

ଆକୁଳ ଭୁବନ ତାର ବେଶେ ହେ

ସେ କେଉଁ ପ୍ରେୟସୀ ମୋରେ ଲୋଡ଼ଇ

ଗଗନେ କବରା ଫିଟି ପଡ଼ଇ

ଭୁବନେ ଭୁବନେ ହାସ ଛାଡ଼ଇ

ଭୁବନେ ଭୁବନେ ଗୀତ ଲେଶେ ହେ ।

 

ଫୁଲେ ଫୁଲେ ଧରା ଉଠେ ଫୁଲି ହେ

ଯୌବନ ଶିରୀ ଯାଏ ଭୁଲି ହେ

ଶିଶୁ ଯଥା ଭୁଲେ ନିଜ କାନ୍ତି

ଭୁବନେ ଜାଗିଛି ସେହି ଭ୍ରାନ୍ତି

କୋକିଳ ଭ୍ରମର ଆଜି ଗା’ନ୍ତି

ସେହି ଗୀତ ବନେ ବନେ ବୁଲି ହେ ।

 

କ୍ଲିଷ୍ଟ ଧରାର ଶୀତ-ସାଧନା

ଦୃର୍ଦିନ କ୍ଷତି ଶତ ବାସନା

ଚଞ୍ଚଳ ଗୀତ ଆଜି କବିର

ମୁଗ୍ଧ ପରାଣ ଅନୁଭବିର

ଫଗୁଣର ସୁରଭିତ ଅବୀର

ସୁନା କରିଦେବ ସବୁ ବେଦନା ।

 

ତାପିତ-ମରମ ଯେତେ ବିରହୀ

ସବୁ ଜ୍ୱାଳା ଏ ପବନେ ମରଇ

କାଙ୍ଗାଳ ଧନୀ ବାସେ ସମାନେ

ପଥ ଅପଥ ସେ ଆଜି ନ ମାନେ

ଆସିଅଛି ପୁଷ୍ପକ ବିମାନେ

ଯାଏ ଖେଳି ଫୁଲେ ଫୁଲେ କି କହି ।

 

ଫଗୁଣର ହୋରିଖେଳ ଗୀତ ହେ

ଆସିଛି ଧରାରେ ପ୍ରାଣମିତ ହେ,

ଆଜି ଖାଲି ହସିବାର ଭୁଲିବାର

ଜୋଛନାରେ ନର୍ତ୍ତନ କାରବାର,

ପୋଛି ପୋଛି ନୟନରୁ ଲୁହଧାର

ବିଶ୍ୱ ହୋଇଛି ଉଲ୍ଲସିତ ହେ ।

 

ଧରଣୀରେ ହୋରିଖେଳ ଗନରେ ଅବୀର

ମୁଗ୍ଧ ଚେତନା ଆଜି କବିର !

ଚଞ୍ଚଳ ଥରି ଥରି ପବନ ସେ ବହଇ

ବନେ ବନେ ମର୍ମରି କି କବିତା କହଇ

ମଧୁଲୀଟ ଗୁଞ୍ଜନ ଫୁଲେ ଫୁଲେ ଶିଞ୍ଜନ

ପଥେ ପଥେ ଆଗମନୀ

କି ସ୍ୱପନ-ସେବିର ।

 

ମୁଗ୍ଧ ଚେତନା ଆଜି କବିର !

ମୁକ୍ତ ପବନ ଆଜି ମୁକ୍ତ ଆକାଶରେ

ଜଳେ ସ୍ଥଳେ ମୁକ୍ତିର ମୂର୍ତ୍ତି ପ୍ରକାଶରେ !

ବଂଶୀ ପାଉଛି ବାଜି

‘‘ଆସ ରେ ପଥିକ ସାଜି’’

ରଙ୍ଗ ଉକୁଟେ ଆଜି

ନବ ନବ ଛବିର, ମୁଗ୍ଧ ଚେତନା ଆହା କବିର ।

 

ଘର ଛାଡ଼ି ଆସ ଆସ ଶୁଭିଲାଣି କୁହୁ ରେ

‘‘ଆସ ରେ ପଥିକ’’ ବୋଲି ଡକେ ମୁହୁମୁହୁ ରେ

ଶୁଣ ଶୁଣ କାନ ଡେରି ବିଶ୍ୱ ଅଗନ ଘେରି

ମୁକତି ଆଲୋକ ଆହା

ଫୁଟି ପଡ଼େ ରବିର,

ମୁଗ୍ଧ ଚେତନା ଏଥି କବିର ।

 

କ୍ଷରି ପଡ଼େ ମଧୁ ଆଜି ଝରି ପଡ଼େ ଗୀତ ରେ

ଚଉଦିଶେ ଆବାଦ୍ୱନ କରେ ସଚକିତ ରେ

କାହାର ବାସନା ଆଜି

ଜଳେ ସ୍ଥଳେ ଯାଏ ବାଜି

ଭୁବନେ ଏ କ୍ରୀଡ଼ା ଆହା

କେଉଁ ସୁଧା-ସ୍ରାବିର

ମୁଗ୍ଧ ଚେତନା ଆଜି କବିର ।

 

ଛିନ୍ନ ସକଳ ପାଶୁ ତୁଟିଅଛି ବନ୍ଧନ

ଭୁବନେ ଭୁବନେ ଆଜି ପୀରତିର ନନ୍ଦନ,

ଏ ଆଲୋକ ଏ ଗଗନ

ଜାଗି ଉଠେ ଏ ପବନ

ବିପୁଳ ପୁଲକ ସମ

କେଉଁ ଅନୁଭବିର;

ମୁଗ୍ଧ ଚେତନା ଆଜି କବିର ।

 

ନିର୍ଝର ଯାଏ ବହି ମୁକ୍ତିର ସଙ୍ଗୀତେ

ବିଶ୍ୱ ଯେ ପଥପରେ କାହା ମୃଦୁ ଇଙ୍ଗିତେ

ପଥିକର ନିମନ୍ତ୍ରଣ

ଶୁଭେ ଆଜ ତ୍ରିଭୁବନ,

ତୁଙ୍ଗ ପାଷାଣ ଗିରି

ପଥେ ଆସେ ଦ୍ରବି ରେ,

ମୁଗ୍ଧ ଚେତନା ତୋର କବିରେ ।

 

ପ୍ରଭାତ ଗୀତର ଗୌରବ

 

ପ୍ରଭାତ ଗୀତର ଗୌରବ ମୋର

ସନ୍ଧ୍ୟା ଦୀପର ସୌରଭ

ଭୁବନେ ଭୁବନେ ଦେଖିଲି

ମୁଁ ଆଜି ଜୀବନରେ ନବ ବୈଭବ ।

 

ସବୁ ସମ୍ପଦେ ଦୀନତା ସେ ମୋର

ସକଳ ସୁଖର ବେଦନା

ସବୁ ସମ୍ଭୋଗ ଅନୁରାଗ ପଥେ

ଚିର ବଇରାଗୀ ସାଧନା ।

 

ସକଳ ଭାଷାର ଅତୀତ ସେ ମୋର

ସକଳ ଭାବର ଅଭାବ

ସକଳ ପଥର ଅପଥ ଚିର ସେ

ସକଳ ଲାଭର ଅଲାଭ ।

 

ଜୀବନେ ଲଭିନି ଯେତେ ପରସାଦ

ହଜିଗଲା ଯେତେ ଧନ ଗୋ

ଯେତେ କ୍ଷତି ଯେତେ ଅଭାବରେ ଆଜି

ଶୂନ୍ୟ ହୃଦୟାସନ ଗୋ ।

 

ଅନୁପସ୍ଥିତ ସନ୍ତାନ ଲାଗି

କ୍ଷରେ ଯଥା ମାତା କ୍ଷୀର ଗୋ

ମୋ ଅତୀତ ଅନାଗତ ପାଇଁ ତଥା

ଉଛୁଳଇ ପ୍ରେମନୀର ଗୋ ।

 

ଶତ ସାର୍ଥକ ଜୀବନେ ସେ ମୋର

ବ୍ୟର୍ଥ ସତତ ବିକଳ

ସବୁ ହରଷର ରକ୍ତ ବେଦନା

କାରୁଣ୍ୟେ ଚିର ସଜଳ ।

 

ସବୁ ହାସ୍ୟର ମଳିନ ଶିରୀ ମୋ

ସବୁ ଚଞ୍ଚଳେ ସ୍ଥିର ଗୋ

ସବୁ ତାରାଗଣେ ଧ୍ରୁବ ତାରା ସେ ମୋ

ହସେ କ୍ଷୀଣହାସ ଚିର ଗୋ ।

 

ସବୁ ଶୃଙ୍ଖଳ ଛିନ୍ନ କରଇ

ବିଶୃଙ୍ଖଳ ତା ଖ୍ୟାତି ଗୋ

ସବୁ ନିୟମର ଅନିୟମ ସେ ଯେ

ସବୁ ଜାତିର ଅଜାତି ଗୋ ।

 

ଚିହ୍ନା ସବୁରେ ଅପରିଚିତ ସେ

ବାଧା ମୋର ସବୁ ବନ୍ଧନେ

ଅତି ପ୍ରିୟତମ ନିଆଶା ମୋର ସେ

ଆଶାର ସ୍ୱରଗ ନନ୍ଦନେ ।

 

ପରାଣର ପ୍ରେମ ଝରେ ତାହା ଲାଗି

ନ ହେଲା ନ ହେବ ଯାହା ଗୋ

ଅଛି ରେ ଯେ ପ୍ରୀତି ନାହିଁ ରେ ତାଠାରୁ

ନୁହଇ ତ ଊଣା ଆହା ଗୋ ।

 

ସକଳ ଋତୁର ଅଋତୁ ସେ ମୋର

ସବୁ ରଙ୍ଗର ବେରଙ୍ଗ

ସବୁ ସାଗରର ଜଳହୀନ ମରୁ

ସବୁ ଚହଳେ ନିସଙ୍ଗ ।

 

ସକଳ ରାବର ନୀରବ ମୋର ସେ

ସକଳ ବାକ୍ୟେ ଅବାକ

ସକଳ ସ୍ୱରର ବେସୁର ମୋର ଗୋ

ସକଳ ଆମୋଦେ ବିପାକ ।

 

ସକଳ ରୂପର ଅରୂପ ସେ ମୋର

ସକଳ ଶୋଭାର ଅଶୋଭା

ସବୁ ନୟନର ଅନ୍ଧୁଣୀ ମୋର

ସକଳ ଲୋଭର ଅଲୋଭା ।

 

ସବୁ ମିଳନର ବିରହ ସେ ମୋର

ସବୁ ଆଲୋକରେ ଅନ୍ଧାର

ଫୁଲ୍ଲ ଚାମେଲୀ କୁସୁମରାଶିରେ

ବ୍ୟଥିତ ରକ୍ତ ମନ୍ଦାର ।

 

ସର୍ବ ଜ୍ଞାନର ଅଜଣା ଚିର ସେ

ସକଳ କଥାର ମୂକ ଗୋ

ସକଳ ବୋଧର ନିର୍ବୋଧ ଚିର

ସରବ ସୁଖର ଦୁଃଖ ଗୋ ।

 

ସବୁ ଜାଗରଣେ ସ୍ୱପନ ମୋର ସେ

ସବୁ ସତ୍ୟର କଳ୍ପନା

ସବୁ ସିକତାରେ ରେଣୁ କଣାଟି ମୋ

ସବୁ ଅଧିକରେ ଅଳ୍ପନା ?

 

ସବୁ କରମରେ ଅକର୍ମା ମୋଚ

ପଣ୍ଡିତଗଣେ ମୂର୍ଖ

ସବୁ ଧରମର ବିଧର୍ମୀ ସେ ଯେ

ସବୁ କୋମଳରେ ରୁକ୍ଷ ।

 

ତାହାପାଇଁ ଆଜି ପ୍ରେମଧାରା ବହେ ଅନ୍ତରେ

ତାହାରି ପରଶ ପ୍ରତି ଅବୟବେ ସଞ୍ଚରେ ।

 

ସବୁ ପରକାଶେ ଅପ୍ରକାଶ ସେ

ସବୁ ଦୃଷ୍ଟିରୁ ଗୁପ୍ତ

ଲବ୍ଧ ଧନର ଚିରହୃଦ ମୋର

ସକଳ ସ୍ଥିତର ଲୁପ୍ତ ।

 

ସକଳ ଧରାର କେନ୍ଦ୍ର ସେ ମୋର

ସକଳ ଆକାଶ ରବି ଗୋ,

ସକଳ ଗୀତର ଅନ୍ତରାଳେ ମୋ

ମୌନ ଉଦାସ କବି ଗୋ ।

 

ନୀରବ ତା ଗୀତ ନୀରବ ତା ବାଣୀ

ଅସୀମ ନୀରବ କୋଣେ ଗୋ

ଅନ୍ତବିହୀନ କି ନୀରବ ଗାନେ

ମିଶିଛି ମୁଗ୍ଧପଣେ ଗୋ ।

 

ସବୁ ଅମୃତେ ମୃତ୍ୟୁ ମୋର ସେ

ସବୁ ଅସୀମର ସୀମା ଗୋ

ସଂସାରେ ମୋର ଅସାରଟି ଯେହୁ

ଗାଉଛି ତାର ମହିମା ଗୋ ।

 

ହୃତ ଆହତ ବ୍ୟର୍ଥ ବ୍ୟଥିତ

ସବୁ ଶୂନ୍ୟ ତାପାଇଁ ଗୋ

କରୁଣ ମ୍ଳାନିମା ଅନ୍ତରେ ଯେତେ

ପଡ଼େ ଅନ୍ଧାର ଛାଇ ଗୋ ।

 

ନ ମାନେ ମୁଁ ଯହିଁ ସ୍ଥିତି ନିୟମ ଏ ବିଶ୍ୱର

ନାସ୍ତିକ ଯହିଁ ନ ମାନେ ସ୍ରଷ୍ଟା ଈଶ୍ୱର

ଉଛୁଳର ପ୍ରେମ ଚଳଇ ମୁଁ ଯହିଁ

କେବଳହିଁ ଶତ ଶୂନ୍ୟତା ବହି

ହାହାକାର ଯହିଁ ସମ୍ବଳ ଖାଲି ନିଃସ୍ୱର ।

 

ସନ୍ଧ୍ୟାଲୋକେ

 

ସନ୍ଧ୍ୟା ଆସେ ପଡ଼ି

ଦୂର ଗ୍ରାମୁ ବହି ଆସେ ପକ୍ଷିର କାକଳି

ଦିଗନ୍ତ ବିସ୍ତାରି ପକ୍ୱ ଧାନ୍ୟ କ୍ଷେତ ପରେ

ପଉଷ ଶୀତ ତୁଷାର ଝରେ ।

 

ବିୃଜନ ପଥଟି ମୋର ମିଶିଅଛି ଦିଗନ୍ତ ଅନ୍ଧାରେ

ଆଜି ଏହି ଉଦାସ ସନ୍ଧ୍ୟାରେ ।

 

ଅସ୍ତଗାମୀ ରବିସମ ନିବିଡ଼ ଏ ଅନ୍ଧାର ମୁଖରେ

ଚାଲିଛି ମୁଁ ଗୋଧୂଳିର ଶୀର୍ଣ୍ଣ କ୍ଳାନ୍ତ କ୍ଷୀଣମୟୁଖରେ

ଶୀକର ପବନ ମୋର ଲାଗେ ଗଣ୍ଡେ, ଲାଗେ ଭାଲଦେଶେ

ଚାଲିଛି ମୁଁ ଆଜି ନିରୁଦ୍ଦେଶେ ।

 

ଦୁଇ ପାରୁଶରେ ମୋର ପକ୍ୱଶାଳୀ ପଡ଼ିଅଛି ନଇଁ ରହି ରହି

ଅଦୂର ସେ ନଦୀକୋଳୁ ଆସେ କି ବାରତା

ବିଶ୍ୱର ସେ ଚିରନ୍ତନ କି ନିଗୂଢ଼ ବ୍ୟଥା ।

 

 

 

ଦିବସ ନିଶାର ଏହି ବିବାହ ସମ୍ଭୋଗେ

ଆଲୋକର ଅଙ୍ଗେ

ସନ୍ଧ୍ୟା ସହଚାରୀ କିବା ଲେଖଇ ଅଳତା

ପକ୍ଷିକଣ୍ଠୁ ମୁଖରଇ କି ମଙ୍ଗଳ କଥା !

 

ହଳିଆ ଫେରଇ ଘରେ ଶୁଭେ ତାର ଗାନ,

ପ୍ରେୟସୀ ସଜାଡ଼ି ବସିଥିବ ଜଳପାନ ।

ପୁତ୍ର କନ୍ୟା ତାର

ଫେରିବା ପଥକୁ ଚାହିଁ ଜଗିଥିବେ ଦ୍ୱାର ।

 

କାକ ଚଳେ ନୀଡ଼େ

ଯାପିବ ରଜନୀ ତାର ପୀରତି ନିବିଡ଼େ ।

ନିଶାର ମଙ୍ଗଳ ଗାଇ ଶୁକ

ରହିଲାଣି ନୀଡ଼େ ଶାନ୍ତ ମୂକ ।

 

ଭରା କଳସୀ କାଖରେ ଉଭା ଯଉବନେ

ବାହୁଡ଼ିଛି ବାସେ ଆନ ମନେ

କୃଷକର ରୂପସୀ ଲଳନା

ନେତ୍ରେ ରଞ୍ଜି ଗୋଧୂଳି ସ୍ୱପନକଳପନା

କଳସୀ-ଉଛୁଳା ଜଳଛିଟକାର ସଙ୍ଗେ

ଯୌବନ-ଉଛୁଳା ତାର ଗୁରୁ ପଦଚିହ୍ନ ଲେଖି

ଯାଇଛି ସେ ରଙ୍ଗେ ।

 

ସବୁ ଜୀବଗ୍ରାମ

ପଥ ଛାଡ଼ି ଗୃହେ ଏବେ ଲୋଡ଼ଇ ବିଶ୍ରାମ

ମୋର ଏକା ନ ହେଲା ବାହୁଡ଼ା

ଘର ଛାଡ଼ି ହୋଇଛି ମୁଁ ଏଥି ପଥହୁଡ଼ା ।

 

ନଦୀତୀରେ ବସି କିପାଁ ଚକୋରଦମ୍ପତି

ଉଦାସେ ଭାଳେ ଅଚିରେ ହରାଇବ କି ସୁଖ ସମ୍ପତ୍ତି

ଦୁଇପକ୍ଷୀ ଏକମନେ ଚାହିଁନ୍ତି ସେ ନଦୀ

ଆର ପାରେ ।

 

କବିର କରୁଣ ଛନ୍ଦ ସମ

ବିକଳ ନୟନେ ପୁଣି ନିରେଖନ୍ତି ପଛିମ ମିହିରେ

ଘୋଟି ଆସେ ଧୀରେ ଧୀରେ ତମ ମାଗେ କି ମିନତି

ବିଳମ୍ବ କରିବାଲାଗି ଦ୍ରୁତ ଅସ୍ତଗତି ?

 

ଦିଗ୍‌ବଳୟେ ଝୁଲିପଡ଼େ ରବି

ରକତ ଅନ୍ତର କାର ଦିଶେ ଦିଶେ ଢ଼ଳିଯାଏ ଦ୍ରବି !

ଦୁହେଁ ଦୁଇ ଦିଗେ ଚାହିଁ ରହନ୍ତି ଉଷତ

ଆସିବ ବିୟୋଗ, ନିଶା ହେଲାଣି ଆଗତ ।

 

ଏ ପାରେ ରହିବ ଏକ, ଆନ ଆର ପାରେ

ଚଳିବ ବିରହ ବ୍ୟାଥାଭାବେ !

ଶକତି ନାହିଁ କାହାର ବିଧିର ନିୟୋଗ

ନିଶାଗମେ ଘଟିବ ସେ ଦୁହିଁଙ୍କ ବିୟୋଗ ।

 

ସେ ଲାଗି କି ପଡ଼ିଛି ଭାଳେଣି

କିଏ ଆରପାର ଲାଗି ଆଗ ହୋଇ ମାଗିବ ମେଲାଣି ?

ବୁଡ଼ିଯାଏ ବେଳ

ଦୁହେଁ ଦୁଇ ମୁଖ ପ୍ରତି ଚାହାନ୍ତି କେବଳ ।

 

ଭରସି ନ ପାରେ କେହି

ଯିବ ଉଡ଼ି ଆର ପାରେ ନିଶାର ବିଦାୟ ମାଗିନେଇ ।

କିପାଁ କରୁଣ ଚାହାଣୀ, କାହିଁପାଇଁ ଏ ଗଭୀର ଖେଦ

ନିଶାର ବିଚ୍ଛେଦ !

 

ସାମାନ୍ୟ ଏ ବ୍ୟବଧାନ ନ ହୁଏ କି ସହି

ଏ ମରତ ପରବାସେ ରହି !

 

 

 

ନାହିଁ, ନାହିଁ, ନୁହେ ସହି ବ୍ୟଥିତ ସେ କାତର ମିନତି

ନାହିଁ ତ ଶକତି ।

 

ଧରାର ପରାଣୀ ଅଙ୍ଗେ, ସହିବାକୁ ସେ କରୁଣ ଦୃଷ୍ଟି

ନିମିଷେ ଯେ ତରଳାଏ କଠୋର କଠିନ ଶିଳାସୃଷ୍ଟି !

 

ଷତ ଯୁଦ୍ଧେ ଉଦ୍ଧତ ଯେ ବୃଷ୍ଟି ବିନ୍ଦୁସମ

କେତେ ସେ ଜୀବନ ଅନୁପମ

କରେ ଘେନି, ଭୂତଳେ ଯେ ଗଡ଼ାଇଛି ନର ମୁଣ୍ଡମାଳ

ଲୌହର କପାଟ ସମ ଅଭେଦ୍ୟ ସେ ହୃଦୟ ଯାହାର

ଏହି ଦୃଷ୍ଟି ତଳେ ସେ ତ ପଡ଼ିଛି ତରଳି

ତୁଟିଅଛି ହୃଦୟର ସୁକଠିନ ଲୁହାର ଶିକଳି ।

 

କୋମଳ କାକୁତିଭରା ଏ ଦୃଷ୍ଟି ଦୟିନି

ବହାଇଛି କରୁଣାର ଶତ ସ୍ରୋତସ୍ୱିନୀ

କ୍ଷୁଦ୍ର ଆଖି ଦିଓଟିର ସେ ଯେ ମୂକ ଭାଷା

ଜଗାଇଛି ଜଳେସ୍ଥଳେ ଏ ଭୂବନେ ଅନନ୍ତ ପିପାସା ।

 

ଗାଏ ତାର ଯଶ କବି, ସେ ତ ନିତ୍ୟ ମୁକ୍ତିର ବନ୍ଧନ

ମିଳନେ ମୁକତି ତହିଁ ପରମ ସାଧନ

ଏ ଯେ ଚକ୍ରବାକର ଦମ୍ପତି

ନାହିଁ ତହିଁ ସ୍ୱାର୍ଥ ଆଶା ଦୁଇ ଲୋଡ଼େ ଦୁଇର ମୁକତି ।

 

ଯୁଗଳ ପ୍ରୟାଣେ

ମୁକତିର ଗତି ଏକ ଅପରକୁ ଜାଣେ

ଏକ ବିନେ ଆନର ମୁକତି ! ସେ ଯେ ମହା ଅସମ୍ଭବ

ଅକ୍ଳାନ୍ତ ସେ ମିଳନବିଭବ ।

 

ଚିର ଆକାଂକ୍ଷାର ଧନ

ଏକ ଯେ ପରର ତହିଁ ମୁକତି ସାଧନ !

ବିରହେ ଉଜ୍ଜ୍ୱଳ ହୁଏ ମିଳନ ସମ୍ଭୋଗ

ନ ମାନେ ପ୍ରେମିକ ଏହା ଲୋଡ଼ଇ ଯେ ଚିରନ୍ତନ ଯୋଗ ।

 

ଦୁଇ ମିଶି ଏକ ହେବାପାଇଁ ଯୁଗେ ଯୁଗେ ପ୍ରେମର

ଏ ମହାପରିଣତି ସେ ଯେ ଯାଆନ୍ତି ଜଗାଇ

ବିରହର ବିଳାପେ ମୁଖର

ଭୁବନ ଗଗନ ସେ ଗୋ କରିଯାନ୍ତି ଅବଶ କାତର ।

 

ସାଧନା

 

ମୁଗ୍ଧ ତୋର ଚାହାଣୀରେ

ଦିଶିବ ସୁନ୍ଦର ବୋଲି

ନିଶି-ଦିନ ସାଜଇ ମୋ ଦେହ

ନୁହଇ ଭୋଗବାସନା

ଗଢ଼େ ମୋର ପ୍ରାଣ ମନ

ତୋର, ପ୍ରିୟେ, ନିବିଡ଼ ସେନେହ ।

 

ମୋର ହାସ୍ୟ ଦେଖିବାକୁ

ତୋତେ ଯେଣୁ ଲାଗେ ବଡ଼ ଭଲ

ହସେଁ ଅତି କଷ୍ଟେ ମୁଁ ଯେ

ବେଦନାକାତର ଅନ୍ତସ୍ତଳ !

ଏ ଧରାର ଶତ ପ୍ରବଞ୍ଚନା

ଶତ କ୍ଳେଶ ସହସ୍ର ଲାଞ୍ଛନା ।

 

ତୋ ଲାଗି ଘୋଡାଇ ରଖେ

ସଦା ଲୋକନେତ୍ର-ଅନ୍ତରାଳେ

ହୃଦୟର କ୍ଷତରକ୍ତ ଝରେ

ଯାହା ସନ୍ଧ୍ୟା ସକାଳେ !

ରବିର ଅରୁଣ ରାଗ ସମ

କରୁଣ ବାସନାରାଶି ମମ ।

 

ତୋଷିବାକୁ ତୋରେ ସବୁ ଭୁଲିଯାଏଁ

ଆଗୋ ପ୍ରିୟତମ !

ରବିର ଅରୁଣ ରାଗ ସମ

କରୁଣ ବାସନାରାଶି ମମ

ତୋଷିବାକୁ ତୋରେ ସବୁ ଭୁଲିପାଏଁ

ଆଗୋ ପ୍ରିୟତମ !

 

ତୋ ପୁଣ୍ୟ ଅଧର ଏ ମୋ ନୟନେ

ଲାଗିବ ବୋଲି ପୋଛି ଦିଏଁ ତହୁଁ ଅଶ୍ରୁଧାର

ଅନ୍ତର ଉଛୁଳି ଯାହା ନ ମାନଇ ବାଧା ବନ୍ଧ

ନ ମାନଇ କିଛି ପ୍ରତୀକାର

ଏ ଭାଲେ ଲାଗବ ବୋଲି ତୋ ଚାରୁ ଭ୍ରୁଲତା

ପୋଛି ଦିଏଁ ତହୁଁ ଶତ ବିଷାଦବାରତା ।

 

ମୁହୁ ମୁହୁ ହୃଦର କମ୍ପନ

ଅତି କଷ୍ଟେ କରଇଁ ଗୋପନ

କୋମଳ ତୋ ବକ୍ଷଦେଶେ ଲାଗିଲେ ସେ

ଦେବ କାଳେ ବ୍ୟଥା !

ସଂଯତ କରଇଁ ସବୁ ନ ହେବାର

ଯାହା ଲୋ ଅନ୍ୟଥା ।

 

ଧରାଇ କାଠିନ୍ୟେ ଅଙ୍ଗ ମୋର

ତୋଇଛି ଲୋ ଅତିହିଁ କଠୋର

ତରଳ ତୋ ତନୁ, ପ୍ରିୟ, ଲୋଡ଼େ ଯେଣୁ

ତାହାରି ପରଶ

ଯତନ ସୋହାଗେ ମୁଁ ଯେ ମାଜି ତାରେ

କରଇଁ ସରସ ।

 

ଯଶ ଖ୍ୟାତି ଧନ ମାନ ଆଦି

ତୋ ଲାଗି ମୁଁ ରଖଇଁ ସମ୍ପାଦି

ତୋଷିବାକୁ ତୋରେ, ପ୍ରିୟେ, କରଇ ମୁଁ

ଏ ଜୀବନେ ପ୍ରାଣାନ୍ତ ସାଧନା

ତୋ ପ୍ରେମର ଆରାଧନେ ବହେଁ ମହାସୁଖେ

ମୁଁ ଯେ ଦୁଃସହ ବେଦନା !

 

ଏ ନୁହଇ ତ୍ୟାଗର ଗରିବ

ତୁ ଯେ ମୋର ଅଟୁ ଲୋ ସରବ

ତୋର ଲାଗି ଏ ଭୁବନେ ପାରେଁ

ଅକାତରେ ସବୁ କରି

ବିଶ୍ୱର ଜଞ୍ଜାଳରାଶି ତୋର ସ୍ନେହେ

ନେବଇଁ ଆଦରି ।

 

ତୋର ଲାଗି ଯେଣୁ ଲୋ ପ୍ରେୟସି

ଉଦେ ମୋର ଚିର ସୁଖଶଶୀ

ତୋର ଲାଗି ଦୁଇଗୁଣ ଭଲ ଲାଗେ

କୋକିଳର ମଧୁର ପଞ୍ଚମ

କେତକୀ ସୁବାସେ ମୋର ପୂରି ଉଠେ

ହାହାକାରେ ବ୍ୟଥିତ ମରମ !

 

ତୋ ଲାଗି ମୋ ପ୍ରୀତିର ଜୋଛନା

ଅନୁରାଗବୋଳା ମୋ ବାସନା

ଦିଶେ ଦିଶେ ପଥେ ପଥେ ବନେ ବନେ

ଉଠଇ ଲୋ ବାଜି

ବନ୍ଧୁର ଏ ଧରାପଣେ ଚଳିବାକୁ

ଭଲ ଲାଗେ ଆଜି ।

 

 

 

ମନେ ଅଛି ଥିଲା ଦୁରୁବହ

ଦିନେ ଏ ଜୀବନ ଗୋଟା ମୋହ

ବଞ୍ଚିଛି ମରିଛି କିବା ଦିନେ ତାହା

ନ ଥିଲି ତ ଜାଣି

ଗୀତ ଗନ୍ଧସ୍ପର୍ଶ ସ୍ୱାଦ ନ ଥିଲି

ବୁଝିରେ ପ୍ରାଣରାଶି ।

 

ଆଜି ଏତେ ପ୍ରାଣ ଦେଲା କିଏ

ଏତେ ତେଜ ଇନ୍ଦ୍ରିୟେ ଇନ୍ଦ୍ରିୟେ

ଏତେ ଆଶା ଏ ଆକାଂକ୍ଷା ଏ ବିପୁଳ

ଜୀବନ ପରଶ

ତୁହି ସଞ୍ଚାରିଛୁ ହୃଦେ ଏତେ ପ୍ରେମ

ପୁଲକ ହରଷ ।

 

ଆକାଶ ଭୁବନ ବସୁନ୍ଧରା

ତୋ ଲାଗି ସେ ମୋ ପ୍ରେମପସରା

ତୁ ଯହିଁ ନାହୁଁ ଲୋ ପ୍ରିୟେ, ନାହିଁ ବିଶ୍ୱ

ନାହିଁ ନାହିଁ ଏ ଆକାଶଭୂଇଁ

ଶୂନ୍ୟ ସବୁ ଚରାଚର, ନାହିଁ ନାହିଁ କିଛି ଏଥି

ନାହିଁ ନିଜେ ମୁହିଁ !